ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି| ଟ୍ରମ୍ପଙ୍କ କହିବା ଅନୁସାରେ, ଇରାନ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟ କେତେକ ଦେଶ ଆକ୍ରମଣ ନ କରିବା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି। ଯୁଦ୍ଧ ଶେଷ ପାଇଁ ଏକ ଚୁକ୍ତିର ମୌଳିକ ସର୍ତ୍ତ ଉପରେ ସହମତି ହୋଇଥିବାରୁ ଏହି ଅନୁରୋଧ କରାଯାଇଛି। ପ୍ରସ୍ତାବିତ ଚୁକ୍ତିରେ ହର୍ମୁଜ ପ୍ରଣାଳୀକୁ ତୁରନ୍ତ, ସମ୍ପୂର୍ଣ୍ଣ ଓ ସବୁଦିନ ପାଇଁ ଖୋଲିବା ସହ ଇରାନର ପରମାଣୁ ବିପଦର ଅବସାନ ଘଟାଇବା ବ୍ୟବସ୍ଥା ରହିବ ବୋଲି ସେ ଦାବି କରିଛନ୍ତି। ପୂର୍ବରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢ଼ିବା ଆଶଙ୍କା ଯୋଗୁଁ କଚା ତେଲ ଦର ବଢ଼ିବା ଆରମ୍ଭ କରିଥିଲା । ବିଶେଷକରି ଇରାନ ସହ ସାମରିକ ବିବାଦ ବଢ଼ିଲେ ବିଶ୍ୱର ତେଲ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଭୟ ରହିଥିଲା । କିନ୍ତୁ ଏବେ ଆଲୋଚନା ଓ କୂଟନୈତିକ ପଦକ୍ଷେପର ସମ୍ଭାବନା ବଢ଼ିବା ପରେ ବଜାରରେ ଚାପ କମିଛି ।ଟ୍ରମ୍ପ କହିଛନ୍ତି, ‘ଇରାନ ମଧ୍ୟ ଜିଦ ଧରିଛି ଯେ ସେମାନେ ଏକ ଚୁକ୍ତି ଚାହାଁନ୍ତି। ବର୍ତ୍ତମାନ, ମୁଁ ଠିକ ଭାବରେ ଜାଣିନାହିଁ ଯେ ସେମାନେ କ’ଣ କହୁଛନ୍ତି, କାରଣ କେତେବେଳେ ସେମାନେ ମୋତେ ଗୋଟିଏ କଥା କୁହନ୍ତି ଏବଂ ତା’ପରେ ଦାବି କରନ୍ତି ଯେ ସେମାନେ ଜାଣନ୍ତି ନାହିଁ ମୁଁ କ’ଣ କହୁଛି। ସେମାନେ ଆକ୍ରମଣ ହେବାକୁ ଚାହାଁନ୍ତି ନାହିଁ। ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରିଲେ କାରଣ ସେମାନେ ଏହା ବିଗିଡି ଯାଉଥିବା ଦେଖିପାରିଲେ ।’ ଅନ୍ୟପଟେ, ଇରାନର ସରକାରୀ ଗଣମାଧ୍ୟମ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଦୁର୍ବଳତାର ପ୍ରତୀକ ବୋଲି କହି କଟାକ୍ଷ କରିଛି। କିଛି ରିପୋର୍ଟରେ ଟ୍ରମ୍ପଙ୍କୁ “ଶକ୍ତିହୀନ” ବୋଲି ବର୍ଣ୍ଣନା କରାଯାଇଥିବା ବେଳେ, ଇରାନୀ ସେନା ଯେକୌଣସି ପରିସ୍ଥିତିକୁ ମୁକାବିଲା ପାଇଁ ସଜାଗ ଥିବା ଦାବି କରାଯାଇଛି । ତେବେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଏବେବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ବିଶେଷକରି ହର୍ମୁଜ୍ ସମୁଦ୍ର ପ୍ରଣାଳୀ ଓ ପରମାଣୁ ପ୍ରସଙ୍ଗକୁ କେନ୍ଦ୍ର କରି ଆଲୋଚନା ଜାରି ରହିଛି ।






