ପୁଣି ଓଡିଶା ଗସ୍ତରେ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୪ ତାରିଖ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ବେଳେ ସେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉଷ୍ମ ପ୍ରସବଣରେ ଥିବା ମାଆ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବା ସହିତ ସେଠାରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। । ଆଜି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ତେବେ ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ରେଳଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ରେଳଯାତ୍ରା ସମୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟିଶୂନ୍ୟ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ପୁରା ରେଳ ପଥରେ ଟ୍ରାକ୍ ପାଟ୍ରୋଲିଂ ତୀବ୍ର କରାଯାଇଛି। ଗସ୍ତ ସମୟରେ ରେଳ ପଥର ସମସ୍ତ ଲେଭଲ କ୍ରସିଂରେ କର୍ମଚାରୀ ମୁତୟନ କରାଯିବ। ପ୍ଲାଟଫର୍ମ ଡ୍ୟୁଟି ପାଇଁ ନିର୍ଦ୍ଧାରିତ ରେଳ କର୍ମଚାରୀଙ୍କୁ ଆଗୁଆ ଚିହ୍ନଟ କରାଯାଇଛି ଏବଂ ଡ୍ୟୁଟି ପାସ ଜାରି କରାଯାଇଛି। ଏପରିକି ଡ୍ରୋନ ସର୍ଭେଲାନ୍ସ ସମେତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପୋଲିସ, ରେଳ ଓ ପ୍ରଶାସନିକ କର୍ତ୍ତୃପକ୍ଷ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।






