ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମୁରାସୁ ମଙ୍ଗଳବାର ଭୋର ସମୟରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁଛି। ଝଡ଼ର କେନ୍ଦ୍ର ଉପକୂଳରେ ପ୍ରବେଶ କରିଛି ଏବଂ ଏହାର କାନ୍ଥ ମେଘର ଏକ ବଡ଼ ଅଂଶ ସ୍ଥଳଭାଗରେ ପହଞ୍ଚିଛି। ନେଲୋର ଏବଂ ନରସପୁର ମଧ୍ୟରେ ବାତ୍ୟା ସ୍ଥଳଭାଗରେ ଛୁଇଁଛି। ଉପକୂଳ ଅଞ୍ଚଳରେ ୧୦୦-୧୧୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ୧୨୦ କିଲୋମିଟର ବେଗରେ ପବନ ବହିଛି। ତେବେ ମୁରାସୁ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ । ବାତ୍ୟା ‘ମୁରାସୁ’ର ସିଧାସଳଖ ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିବନି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି।। ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏସବୁ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ରହିପାରେ।






