ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟା ଓ ବିକ୍ରି ନେଇ କଟକଣା । ପ୍ରଦୂଷଣ ବୋର୍ଡ ଜାରି କଲା ଗାଇଡଲାଇନ୍ । କେବଳ ଗ୍ରୀନ୍ କ୍ରାକର୍ସକୁ ଅନୁମତି ।ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି । ଏହାର ବ୍ୟତିକ୍ରମ କଲେ, କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ । କାଳୀପୂଜା ଏବଂ ଦୀପାବଳୀ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ କୁହାଯାଇଛି । ବାଣର ଶବ୍ଦ ସ୍ତର ନିର୍ଦ୍ଧାରିତ ସର୍ବାଧିକ ସୀମା ୧୨୫ dB(AI) ଭିତରେ ରହିବା ଦରକାର । ନିରବ ଅଞ୍ଚଳ ଘୋଷିତ ହୋଇଥିବା ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ଉଦ୍ୟାନ ଓ ପାର୍କ ଆଦି ସ୍ଥାନରେ ବାଣ ଫୁଟାଇବା ନିଷେଧ କରାଯାଇଛି ।ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ବିନିୟମ) ନିୟମାବଳୀ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ । ଏ ସମ୍ପର୍କିତ ଅଭିଯୋଗ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ନିକଟରେ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।ସେପଟେ ବିନା ଲାଇସେନ୍ସରେ ବାଣ ବିକ୍ରି କଲେ ପୋଲିସ ହେବ ଆକ୍ସନ । ଅସ୍ଥାୟୀ ଦୋକାନ ମଧ୍ୟରେ ଦୂରତା ରହିବ ୫ ଫୁଟ । ରାତି ୧୦ଟା ପରେ ରାଜଧାନୀରେ ବାଣଫୁଟା ବନ୍ଦ ରହିବ । ବାଣ ଦୋକାନ ମାନଙ୍କରେ ରହିବ ଅଗ୍ନିଶମ ସାମଗ୍ରୀ । ଅଗ୍ନି ନିର୍ବାପକ ଗ୍ୟାସ୍ ସିଲିଣ୍ଡର ସହିତ ପାଣି ଭର୍ତ୍ତି ଡ୍ରମ, ବାଲି ଓ କମ୍ବଳ ରଖିବା ବାଧ୍ୟତାମୂଳକ କରାଯାଇଛି ।ତେବେ ୧୧୨କୁ କିମ୍ବା 82803 38303 ନମ୍ବରକୁ କଲ କରି ଅଭିଯୋଗ କରି ପାରିବେ ବୋଲି କଟକ ଡିସିପି କହିଛନ୍ତି । ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବା ପାଇଁ ଅପିଲ କରିଛି କମିସନରେଟ ପୋଲିସ । ପ୍ରତି ବର୍ଷ ସହରରେ ଯେଉଁ ସ୍ଥାନଗୁଡ଼ିକରେ ଅସ୍ଥାୟୀ ବାଣ ଦୋକାନ ହୁଏ, ସେହି ସ୍ଥାନରେ ବିକ୍ରି କରିବା ପାଇଁ ଅନୁମତି ଦିଆଯିବ ବୋଲି କହିଛି କମିସନରେଟ ପୋଲିସ





