ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ। ଏଥିପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଆରମ୍ଭ ହୋଇଛି ୪ ଦିନିଆ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ ଶିବିର। ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା। ଏଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦ଟି ପ୍ରଶ୍ନ ପଚରାଯିବ।ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରର ତଥ୍ୟ ସହ ଜାତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ ହେବ। ଏପ୍ରିଲ ମାସ ସୁଦ୍ଧା ଜନଗଣନା ସାରିବାକୁ ଲକ୍ଷ ଥିବା ବେଳେ ଏବେ ମାଷ୍ଟର ଟ୍ରେନରମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ମାଷ୍ଟର ଟ୍ରେନର ଟ୍ରେନିଂ ନେଇସାରିବା ପରେ ସେମାନେ ଜିଲ୍ଲା ସ୍ତରର ଅଧିକାରୀଙ୍କୁ ଟ୍ରେନିଂ ଦେବେ। ଡିସେମ୍ବର ମାସ ଯାଏଁ ଚାଲିବ ଟ୍ରେନିଂ ପ୍ରକ୍ରିୟା। ଜନଗଣନାର ଏହି ପର୍ଯ୍ୟାୟରେ ନାଗରିକମାନେ ନିଜର ତଥ୍ୟ ନିଜେ ପୋର୍ଟାଲ୍ ଓ ଆପ୍ ମାଧ୍ୟମରେ ଦାଖଲ କରିପାରିବେ। ଏଥିପାଇଁ ୧୫ ଦିନ ସମୟ ଦିଆଯିବ। ଜାନୁଆରୀ ୧୦ରୁ ୨୫ ତାରିଖ ଯାଏଁ ଏହି ସ୍ୱ-ଗଣନା ପ୍ରକ୍ରିୟା ଚାଲିବ। ଏହାପରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଅଧିକାରୀମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ।






