ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟ ହ୍ୟାରି ବକ୍ସର ପରିଚୟ ଦେଇ ଜଣେ ବ୍ୟକ୍ତି ତୁଷାରଙ୍କୁ ଫୋନ୍ କରି ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି ।ଘଟଣାକୁ ନେଇ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ଯାଞ୍ଚରୁ ଏହି ଧମକ ପଛରେ ଗ୍ୟାଙ୍ଗର ପ୍ରକୃତ ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ପୁଲିସ ସୂତ୍ର ଅନୁସାରେ, ଫୋନ୍ କରିଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲା। ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରି ତୁଷାର କପୁରଙ୍କୁ ୫ କୋଟି ଟଙ୍କା ଦେବାକୁ କହିଥିଲା। ଏହାପରେ ଅଭିନେତା ତୁରନ୍ତ ମୁମ୍ବାଇ ପୁଲିସକୁ ଜଣାଇଥିଲେ। ପରେ ମାମଲାର ତଦନ୍ତ ଆଣ୍ଟି-ଏକ୍ସଟର୍ସନ୍ ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।ହ୍ୟାରି ବକ୍ସରର ପ୍ରକୃତ ନାଁ ହରି ଚନ୍ଦ ଜାଟ୍ । ସେ ରାଜସ୍ଥାନର ଅଲୱାର ଜିଲ୍ଲାର ବାସିନ୍ଦା । ଅପରାଧ ଦୁନିଆକୁ ଆସିବା ପୂର୍ବରୁ ସେ ବକ୍ସିଂ କରୁଥିଲା । ଏପରିକି ଜୟପୁରରେ କୋଚ୍ ଭାବେ ମଧ୍ୟ କାମ କରିଥିଲା । ଏହି କାରଣରୁ ତାକୁ ‘ବକ୍ସର’ ନାଁ ମିଳିଥିଲା । ପୋଲିସର ସୂଚନା ଅନୁଯାୟୀ, ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ । ତା’ ବିରୋଧରେ ଦାଦାବଟି ଆଦାୟ, ଲୁଟ୍ ଏବଂ ହତ୍ୟା ଉଦ୍ୟମ ଭଳି ଅନେକ ମାମଲା ରହିଛି । ଏହା ପୂର୍ବରୁ ମଧ୍ୟ ଅନେକ ହାଇପ୍ରୋଫାଇଲ୍ ମାମଲାରେ ହ୍ୟାରି ବକ୍ସରର ନାଁ ସାମ୍ନାକୁ ଆସିଛି । କମେଡିଆନ୍ କପିଲ ଶର୍ମାଙ୍କ କାନାଡାସ୍ଥିତ କାଫେ ଉପରେ ଗୁଳିମାଡ଼ ଏବଂ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ କଥିତ ଧମକ ଦେବା ମାମଲାରେ ମଧ୍ୟ ତା’ର ନାଁ ଚର୍ଚ୍ଚାକୁ ଆସିଥିଲା ।






