ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେଶନ ଲିଃ (ଓଏନ୍ଜିସି) ଗ୍ୟାସ୍ର ସନ୍ଧାନ ପାଇଛି। ମହାନଦୀ ଅଫ୍ସୋର ବେସିନ୍ର ଏମ୍ଏନ୍-ଡିଡବ୍ଲ୍ୟୁ ୧୮-୧-ଏଚ୍-ଡି ଗଭୀରକୂପରେ ଏହି ଗ୍ୟାସ୍ ରହିଛି। ଭାରତର ଶକ୍ତି ସୁରକ୍ଷା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ସମୁଦ୍ର କୂଳଠାରୁ ପାଖରେ ଥିବାରୁ ଏହି ଗ୍ୟାସ୍ର ଶୀଘ୍ର ବାଣିଜ୍ୟିକ ଉପଯୋଗ ଆରମ୍ଭ ହୋଇପାରିବ ବୋଲି କମ୍ପାନି କହିଛି। ତେବେ ଏହା ପୂର୍ବରୁ ଆହୁରି ଅନୁଶୀଳନ ଓ ବାଣିଜ୍ୟିକ ଅନୁଧ୍ୟାନର ଆବଶ୍ୟକତା ରହିଛି। ଗତ ତିନି ଦିନ ଧରି ଏହି କୂପରୁ ଲଗାତାର ଭାବେ ଗ୍ୟାସ୍ ଉତ୍ସାହଜନକ ଗତିରେ ବାହାରୁଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ନିୟମ-୨୦୨୫ ଅନୁସାରେ ଏହି ଆବିଷ୍କାରକୁ ନିକଟବର୍ତ୍ତୀ ଅନ୍ୟ ଗ୍ୟାସ୍ କ୍ଷେତ୍ର ସହ ମିଳିତ ଭିତ୍ତିଭୂମିରେ ବିକଶିତ କରାଯାଇପାରେ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ୨୦୨୬ ଜୁଲାଇ ୨୫ରେ ‘ପ୍ଲାଟିନମ୍ ଏକ୍ସପ୍ଲୋରର୍ ’ ଡ୍ରିଲ୍ ସିପ୍ ମାଧ୍ୟମରେ ଏହି କୂପର ଖନନ ଆରମ୍ଭ କରିଥିଲେ। ଅଗଷ୍ଟ ୨୭ରେ ONGC ଅଧ୍ୟକ୍ଷ ତଥା ସିଇଓ ଅରୁଣ କୁମାର ସିଂହ ଓ କମ୍ପାନୀର ଅନ୍ୟ ନିର୍ଦ୍ଦେଶକମାନେ ଡ୍ରିଲିଂ ରିଗ୍ ପରିଦର୍ଶନ କରିଥିଲେ । ୨୦୨୪ରେ ମହାନଦୀ ବେସିନ୍ ରେ ହୋଇଥିବା ‘ଉତ୍କଳ’ ଓ ‘କୋଣାର୍କ’ ଆବିଷ୍କାର ପରେ ଏହି ନୂଆ ସନ୍ଧାନ ONGCର ଗଭୀର ସମୁଦ୍ର ଅନୁସନ୍ଧାନକୁ ଆହୁରି ଶକ୍ତି ଦେଇଛି । ଦେଶରେ ତୈଳ ଓ ଗ୍ୟାସ୍ ର ଘରୋଇ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ସଫଳତା ଭାବେ ଦେଖାଯାଉଛି ।






