କର୍କଟ ରୋଗର ଚିକିତ୍ସାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ତାଲିକା ପ୍ରକାଶ କରାଯାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ରୁ ଲାଗୁ ହେବ।ସ୍ୟାମ୍ଟେପା (Samtepa) ଇଞ୍ଜେକ୍ସନର ଦାମ୍ ପୂର୍ବରୁ ୮୦, ୦୭୧.୮୬ ଥିବାବେଳେ ବର୍ତ୍ତମାନ ଏହା କମି ୭, ୧୫୦.୩୩ କରାଯାଇଛି । ପ୍ୟାଲ୍ବୋପ୍ରୋ (Palbopro) ଔଷଧର ୨୧ଟି କ୍ୟାପସୁଲ୍ ବିଶିଷ୍ଟ ପ୍ୟାକ୍ ଦାମ୍ ୪୦,୪୨୧ ରୁ ହ୍ରାସ ପାଇ ୨,୭୨୦ ହୋଇଛି । ପ୍ରାୟ ୨୧୭ଟି ଔଷଧର ଦାମ୍ ଅଧାରୁ ମଧ୍ୟ କମ୍ ହୋଇଯାଇଛି । ୯୭ଟି ବ୍ରାଣ୍ଡର ଦାମ୍ ୭୦% ଏବଂ ୫୦ଟି ବ୍ରାଣ୍ଡର ଦାମ୍ ୮୦% ରୁ ଅଧିକ ହ୍ରାସ ପାଇଛି । ତଥାପି, ୧୪୬ଟି ବ୍ରାଣ୍ଡ-ପ୍ୟାକ୍ର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଦର କମିଥିଲେ ମଧ୍ୟ କିଛି ଅତ୍ୟନ୍ତ ଜରୁରୀ ଏବଂ ମହଙ୍ଗା ଔଷଧର ଦାମ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସ୍ତନ ଓ ପ୍ରୋଷ୍ଟେଟ୍ କର୍କଟ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ଡେନୋସୁମାବ୍, କର୍କଟ ରୋଗୀଙ୍କଠାରେ ନ୍ୟୁଟ୍ରୋପେନିଆ ରୋକିବା ପାଇଁ ଦିଆଯାଉଥିବା ପେଗ୍ଫିଲଗ୍ରାଷ୍ଟିମ୍ ଏବଂ କୋଲନ୍, ଓଭାରିଆନ୍ ଓ ସର୍ଭିକାଲ୍ କର୍କଟ ଚିକିତ୍ସାରେ ବ୍ୟବହୃତ ବେଭାସିଜୁମାବ୍ ଏହି ଔଷଧ ମଧ୍ୟରେ ଅନ୍ତର୍ଭୁକ୍ତ। ସଂଶୋଧିତ ଦର ଲାଗୁ ହେବା ପରେ କର୍କଟ ରୋଗୀ ଓ ସେମାନଙ୍କ ପରିବାର ଔଷଧ କିଣିବାରେ ଆର୍ଥିକ ଚାପରୁ କିଛିଟା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।






