ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଗଜପତି ଜିଲ୍ଲାରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। କଇଁପୁର-ଗଙ୍ଗାବାଡ଼ ରାସ୍ତାରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଛି। ଲଗାତାର ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଜେସିବି ଏବଂ ଶ୍ରମିକ ନିୟୋଜିତ କରି ରାସ୍ତା ସଫା କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଲଗାଣ ବର୍ଷା ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି । ମହେନ୍ଦ୍ରତନୟା, ବଂଶଧାରା ସମେତ ସ୍ଥାନୀୟ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସ୍ଥାନରେ କଲଭର୍ଟ ଓ ପୋଲ ଉପରେ ପାଣି ଚାଲିବା ଯୋଗୁଁ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷଜମିରେ ବର୍ଷା ଓ ବନ୍ୟା ପାଣି ମାଡ଼ିଯାଇଛି, ଯାହା ଫଳରେ ପନିପରିବା ଏବଂ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି ।






