କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ଅକ୍ଟୋବର ୧୯ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ଅକ୍ଟୋବର ୨୭ ତାରିଖରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଠିରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି । ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ଆଇନସମ୍ମତ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ।ଏଥିସହ କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି ମୋହନ ମାଝୀ। ଅଞ୍ଚଳବାସୀଙ୍କୁ ଉନ୍ନତ ଜୀବନଧାରଣ, ମୌଳିକ ସେବା ଯୋଗାଣ ଓ ସାମାଜିକ କଲ୍ୟାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ ଉପରେ ଏହି କମିଟି ନଜର ରଖିଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଞ୍ଚଳ ପରିଦର୍ଶନ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରୁଛନ୍ତି।ନବୀନଙ୍କ ଚିଠିର ଆଭିମୁଖ୍ୟକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ମୋହନ । କୋଟିଆ ପ୍ରସଙ୍ଗରେ ନବୀନଙ୍କୁ ମୋହନଙ୍କ ଜବାବ ‘ରାଜନୈତିକ ଦୃଷ୍ଟିକୋଣ ନୁହେଁ, ଆଇନଗତ ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତୁ’ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ନ ଦେଖି ଗଠନମୂଳକ ଓ ଆଇନଗତ ଭାବେ ଗ୍ରହଣୀୟ ସମାଧାନ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ କହିଛନ୍ତି ।






