ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଗାମୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ପିକ୍ ଲେଭଲ୍ଠାରୁ ଅଧିକ ହେବାର ଆଶଙ୍କା ରହିଛି । ଇନ୍ଦ୍ରାବତୀ ଓ କୋଲାବ୍ ନଦୀର ଜଳପତ୍ତନ ବଢ଼ିଥିଲେ ମଧ୍ୟ ବର୍ତ୍ତମାନ ସେଠାରେ ବିପଦଜନକ ସ୍ଥିତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୫ ତାରିଖରେ ରାଜ୍ୟରେ ହାରାହାରି ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ୁଛି । ଜଳକା ନଦୀ ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର ବର୍ତ୍ତମାନ ‘ରାଇଜିଂ ଷ୍ଟେଜ୍’ରେ ରହିଛି । ଆସନ୍ତା ୨୭ ତାରିଖ ମଧ୍ୟରାତ୍ରିରେ ନରାଜଠାରେ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବାର ସମ୍ଭାବନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ବୈତରଣୀ ଯାଜପୁର ଠାରେ ଘାଇ ଭାଙ୍ଗିବା, ଖରସ୍ରୋତାରେ ଘାଇ ଭାଙ୍ଗିବା ଫଳରେ ଅନେକ କ୍ଷତି ହୋଇଛି । ୩୯୫ଟି ରିଲିଫ୍ ସେଣ୍ଟର ୧୦ ଜିଲ୍ଲାରେ ଖୋଲା ହୋଇଛି । ୭୩୦୮୫ ଲୋକ ପ୍ରଭାବିତ । ୪୦,୩୨୯ ହଜାର ଲୋକ ରିଲିଫ୍ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଛନ୍ତି ।୮୦ ବ୍ଲକ୍, ୩୨୫ ଗ୍ରାମ ପଞ୍ଚାୟତ, ୧୦୭୧ ଗାଁ ପ୍ରଭାବିତ । ୧୦ଟି ସହରାଞ୍ଚଳର ୪୯ଟି ୱାର୍ଡ ପ୍ରଭାବିତ ହୋଇଛି । ୪୪୮୦ ହେକ୍ଟର ଜମି ପ୍ରଭାବିତ ହୋଇଛି । ୭୨୧ଟି ଘର ଭାଙ୍ଗିଛି ବୋଲି ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି ।






