ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ । ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି ।। ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏହି ସୂଚନା ଦେଇଛନ୍ତି ।୨୦୨୪-୨୫ରେ ରାଜ୍ୟର ୩୭ ଲକ୍ଷ ୪୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୦୨୫-୨୬ରେ ଏହା ବଢ଼ି ୩୯ ଲକ୍ଷ ୪୨ ହଜାର ହେକ୍ଟରରେ ପହଞ୍ଚିଥିଲା ।ସେପଟେ ଚଳିତବର୍ଷ ସେପ୍ଟେମ୍ବର ୧୯ ସୁଦ୍ଧା ୩୬ ଲକ୍ଷ ୧୮ ହଜାର ହେକ୍ଟର ଜମିର ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିଛନ୍ତି । ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ଯୋଜନା ଏବଂ ଜଳସେଚନ ସୁବିଧା ଯୋଗୁଁ ଏହିସବୁ ଜିଲ୍ଲାରେ ଧାନ ଚାଷ ପରିମାଣ ବଢ଼ୁଥିବା କୁହାଯାଉଛି ।






