ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କମ୍ ଆୟ କରୁଥିବା ମୋବାଇଲ୍ ଗ୍ରାହକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି । ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟିଆରଏଆଇ ଟେଲିକମ୍ ଉପଭୋକ୍ତା ସୁରକ୍ଷା ନିୟମରେ ୧୩ତମ ସଂଶୋଧନ ଜାରି କରିଛି । ଟିଆରଏଆଇର ଅଧିକୃତ ରେକର୍ଡ ଅନୁସାରେ ଏହି ସଂଶୋଧନ ୨୨ ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ ହୋଇଛି । ଏହାର ପ୍ରଭାବରେ ଜିଓ, ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି ଟେଲିକମ୍ କମ୍ପାନୀଙ୍କୁ ଡାଟା ବ୍ୟବହାର ନକରୁଥିବା ଗ୍ରାହକଙ୍କ ପାଇଁ ଭଏସ୍ ଓ ଏସଏମଏସ୍ କେନ୍ଦ୍ରିକ ରିଚାର୍ଜର ବିକଳ୍ପ ବଢ଼ାଇବାକୁ ପଡ଼ିବ । ଏହା ଫଳରେ ଯେଉଁ ଗ୍ରାହକଙ୍କୁ ମୋବାଇଲ୍ ଡାଟାର ଆବଶ୍ୟକତା ନାହିଁ, ସେମାନେ କମ୍ ଟଙ୍କାରେ ନିଜ ଆବଶ୍ୟକତା ଅନୁସାରେ ରିଚାର୍ଜ କରିପାରିବେ। ନୂଆ ନିୟମ ଅନୁସାରେ, ଟେଲିକମ୍ କମ୍ପାନୀଗୁଡ଼ିକୁ ୩୦ ଦିନ କିମ୍ବା ତା’ଠାରୁ କମ୍ ସମୟର ଭଏସ୍ କଲ୍ ଓ SMS ପ୍ଲାନ୍ ଦେବାକୁ ପଡ଼ିବ । ଏହା ସହିତ, ବର୍ତ୍ତମାନ ଭଏସ୍ କଲ୍, SMS ଓ ଡାଟା ମିଳୁଥିବା ପ୍ଲାନ୍ର ଦାମ ଓ ସମୟ ଅନୁସାରେ କେବଳ ଭଏସ୍ ଓ SMS ପ୍ଲାନର ଦାମ ମଧ୍ୟ କମ୍ ରଖିବାକୁ ପଡ଼ିବ । ଟ୍ରାଇ କହିଛି ଯେ, ୨୦୨୪ରେ ନୂଆ ନିୟମ ଲାଗୁ ହେବା ପରେ ବଜାରରେ କେବଳ ଭଏସ୍ ଓ SMS ଥିବା ପ୍ଲାନର ସଂଖ୍ୟା କମିଯାଇଥିଲା । ଯେଉଁ ପ୍ଲାନ୍ ଥିଲା, ସେଗୁଡ଼ିକ ଅଧିକ ସମୟ ପାଇଁ ଥିଲା । ଫଳରେ କମ୍ ଆୟ କରୁଥିବା ଗ୍ରାହକମାନେ କମ୍ ସମୟର ଶସ୍ତା ପ୍ଲାନ୍ ପାଇବାରେ ସମସ୍ୟା ହେଉଥିଲା । ତେଣୁ ଟ୍ରାଇ ଏହି ନିୟମରେ ପରିବର୍ତ୍ତନ ଆଣିଛି । ନୂଆ ନିୟମ ଅନୁସାରେ, ମୋବାଇଲ୍ କମ୍ପାନୀଗୁଡ଼ିକୁ ଏପରି ଏକ ଭଏସ୍ ଓ SMS ପ୍ଲାନ୍ ମଧ୍ୟ ଦେବାକୁ ପଡ଼ିବ, ଯାହା ପ୍ରତି ମାସରେ ସମାନ ତାରିଖରେ ରିଚାର୍ଜ କରିହେବ ।ଏହି ନୂଆ ନିୟମର ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ଟେଲିକମ୍ ପ୍ଲାନ୍ର ଦାମ ତୁରନ୍ତ କମିଯିବ । ବରଂ ଗ୍ରାହକଙ୍କୁ ନିଜ ବ୍ୟବହାର ଅନୁସାରେ ଅଧିକ ଟାରିଫ୍ ବିକଳ୍ପ ମିଳିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅର୍ଥାତ୍ ଡାଟା ଦରକାର ନଥିଲେ ଡାଟା ସହିତ ପ୍ଲାନ୍ ନେବାର ବାଧ୍ୟତା କମିବା ସହ ଛୋଟ ଅବଧିର ରିଚାର୍ଜ ଚୟନ କରିବାର ସୁଯୋଗ ବଢ଼ିବ ।






