ରାଣୀ ମୁଖାର୍ଜୀଙ୍କ ମା’ କ୍ରିଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଦିନ ମୁଖାର୍ଜୀ ପରିବାର ପକ୍ଷରୁ ଏକ ଆନୁଷ୍ଠାନିକ ବିବୃତ୍ତି ମାଧ୍ୟମରେ ଏହି ଦୁଃଖଦ ଖବର ଦିଆଯାଇଛି । ମୁଖାର୍ଜୀ ପରିବାର ଜାରି କରିଥିବା ବିବୃତ୍ତିରେ କୁହାଯାଇଛି, ‘ଅତ୍ୟନ୍ତ ଗଭୀର ଶୋକର ସହ ଆମେ ଜଣାଉଛୁ ଯେ, ରାଣୀ ମୁଖାର୍ଜୀଙ୍କ ମା’ ଶ୍ରୀମତୀ କ୍ରିଷ୍ଣା ମୁଖାର୍ଜୀ (୭୫) ଆଜି ଅପରାହ୍ନରେ ଆମକୁ ଛାଡ଼ି ଚାଲିଯାଇଛନ୍ତି।’ ରାଣୀ ମୁଖାର୍ଜୀ ତାଙ୍କ ମାଆଙ୍କ ଅତ୍ୟନ୍ତ ନିକଟତର ଥିଲେ । ଅନେକ ସମୟରେ ରାଣୀ ନିଜ ମାଆଙ୍କ ସହ ଥିବା ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ରାଣୀଙ୍କ ପାଇଁ ତାଙ୍କ ମାଆ କେବଳ ପରିବାରର ଜଣେ ସଦସ୍ୟ ନଥିଲେ, ବରଂ ତାଙ୍କ ଜୀବନ ଓ ଅଭିନୟ ଯାତ୍ରାରେ ଜଣେ ପ୍ରମୁଖ ପ୍ରେରଣା ମଧ୍ୟ ଥିଲେ । ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମରେ ସେ ଜଣେ ବଙ୍ଗାଳୀ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ । ନିଜ ପିଲାମାନଙ୍କୁ ଫେରି ପାଇବା ପାଇଁ ସେହି ମାଆଙ୍କ ସଂଘର୍ଷକୁ ଫିଲ୍ମରେ ଦେଖାଯାଇଥିଲା ।କ୍ରିଷ୍ଣା ମୁଖାର୍ଜୀ ନିଜେ ମଧ୍ୟ ସଙ୍ଗୀତ ଜଗତ ସହ ଜଡ଼ିତ ଥିଲେ। ସେ ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଥିଲେ। ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ‘ଫିଲ୍ମାଲୟା ଷ୍ଟୁଡିଓ’ର ସହ-ସଂସ୍ଥାପକ ରାମ ମୁଖାର୍ଜୀଙ୍କୁ ବିବାହ କରିଥିଲେ। ରାମ ମୁଖାର୍ଜୀଙ୍କର ୨୦୧୭ ମସିହାରେ ପରଲୋକ ହୋଇଥିଲା।






