ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍ଡିଆର) ଶୁଳ୍କ ଲାଗୁ କରିବା ଲାଗି ହୋଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁଳ୍କ ଲାଗୁ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିବାବେଳେ ସରକାର ଏପରି କହିଛନ୍ତି। ସରକାର କହିଛନ୍ତି ଏମଡିଆର ଶୁଳ୍କ ଲାଗୁ ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ। ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପରେ ନିୟମ ପ୍ରଣୟନ କରାଯାଇ ନିଷ୍ପତ୍ତି ନିଆଯାଇଛି।ୟୁପିଆଇ ଶୁଳ୍କର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି। ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କ୍ୟୁଆର ମାଧ୍ୟମରେ ଟଙ୍କା ଗ୍ରହଣ କରୁଥିବା ଛୋଟ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ ଦିଆଯାଇଛି। ତେଣୁ ଏହାଦ୍ବାରା ବିଶେଷ ଭାବେ କେହି ପ୍ରଭାବିତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ୨ ହଜାର ଟଙ୍କାରୁ ଅଧିକ କମର୍ସିଆଲ୍ କାରବାରରେ ଚାର୍ଜ ଲାଗିବା ନେଇ ଆଲୋଚନା ଭିତରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଛନ୍ତି, ଏହି ଦେୟ ସାଧାରଣ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ । ଚାର୍ଜ ଦେବେ ବ୍ୟବସାୟୀ । ସାଂସଦଙ୍କ କହିବା ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ କମର୍ସିଆଲ୍ UPI କାରବାର ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ । ତେବେ ମୋଟ ଡିଜିଟାଲ୍ ପେମେଣ୍ଟ ମଧ୍ୟରୁ ଏଭଳି କାରବାରର ଅଂଶ ପ୍ରାୟ ୪ ପ୍ରତିଶତ ବୋଲି ସେ ଦାବି କରିଛନ୍ତି । ଅର୍ଥାତ୍, ୯୬ ପ୍ରତିଶତ ଲୋକ ଗୋଟିଏ କାରବାରରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ କରୁନଥିବା ସେ କହିଛନ୍ତି ।






