ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି । ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ୪୨ କୋଟି ୮୦ ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ କାମ ଏକା ସହ ଚାଲିବ । ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ । ଆଂଶିକ କଚ୍ଚା ଘର ଭାଙ୍ଗିଥିଲେ ୪ ହଜାର, କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ମିଳିବ ।ସେହିପରି ଫସଲ ହାନୀ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ମିଳିବ । ମୋଟ୍ ୨୨ ଜିଲାର ୮୫ ବ୍ଲକ, ୧୪୫୮ ଗାଁ ପ୍ରଭାବିତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।






