ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ କୁହାଯାଉଥିବା ଆମେରିକୀୟ ଏଫ୍-୩୫ କାଲିଫର୍ନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟିକୁ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଏହାକୁ ଏକ କ୍ଲାସ -ଏ ଦୁର୍ଘଟଣା ବୋଲି କହିଛନ୍ତି ଆମେରିକୀୟ ଅଧିକାରୀ ।ବିମାନଟି ମାରିନ୍ ଏୟାରକ୍ରାଫ୍ଟ ଗ୍ରୁପ୍ ୧୧ ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା । ତେବେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଏୟାର ବେସ୍ ରେ ଖସିବା ପରେ ବିମାନ ଅଗ୍ନିପିଣ୍ଡୁଳା ସାଜିଥିଲା । ବିମାନ ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ନିଜ ଜୀବନ ବଞ୍ଚାଇଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଆମେରିକୀୟ ସେନା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ଏହା ହେଉଛି ଏକ ପଞ୍ଚମ ପିଢ଼ିର ଲଢୁଆ ବିମାନ । ଏହା ଏଫ୍-୩୫ର ଆମେରିକା ମାରିନ୍ କର୍ପସ ଦ୍ୱାରା ପରିଚାଳିତ । ଏହି ବିମାନର ମୂଲ୍ୟ ପ୍ରାୟ ୧୦୯ ନିୟୁତ ଡଲାର ବୋଲି କୁହାଯାଉଛି ।






