ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ।ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି। ମାତ୍ର ଏଯାବତ୍ ଆଖ୍ ଦୃଶିଆ ବର୍ଷା ହେଉନାହିଁ। ଅନ୍ୟପକ୍ଷରେ ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।ଏକ ପରମ୍ପରାରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ବାଭାବିକ ବର୍ଷା ହୁଏ। ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି। ୨୫ବର୍ଷ ତଳେ ଏପରି ବିବାହ ହୋଇଥିଲା। ପରେ ଆଉ ଆୟୋଜନ ହୋଇନାହିଁ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ଚଳିତ ଥର ଅନିୟମିତ ବର୍ଷା ପାଇଁ ଗ୍ରାମବାସୀ ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପରି ନେଇଥିଲେ। ଚଳିତ ମାସ ୧୭ ତାରିଖ ଦିନ ଏହି ନିଆରା ବିବାହ ଉତ୍ସବ ପାଇଁ ତିଥି ନିର୍ଦ୍ଧାରଣ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ମଧ୍ୟସ୍ଥତାରେ ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପାଇଁ ଗହ୍ମାରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦେ୍ଧଶ୍ୱରୀଙ୍କ ପୀଠରେ ବେଦି ପ୍ରସ୍ତୁତ କରାଗଲା । ସାରା ଗ୍ରାମବାସୀ ବିବାହ ଆୟୋଜନରେ ମାତିଲେ । ସନ୍ଧ୍ୟାରେ ଡିଜେ ଓ ବାଜା ବଜାଇ, ବାଣ ଫୁଟାଇ ସୁସଜ୍ଜିତ କାର୍ରେ ଗାଁ ମୁଣ୍ଡରୁ ବର ବାହାରିଥିଲା । ବରଯାତ୍ରୀରେ ସମସ୍ତ ଗ୍ରାମବାସୀ ସାମିଲ ହୋଇ ନାଚି ନାଚି ବରକୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସେଠାରେ ବର ପିତା ଭାବେ ଲକ୍ଷ୍ମଣ ଖଟୁଆ ଓ କନ୍ୟା ପିତା ମାନଗୋବିନ୍ଦ ନାୟକ ଉପସ୍ଥିତ ରହି ବିବାହ କରାଇଥିଲେ ।
ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରେ କନ୍ୟାକୁ ସମସ୍ତେ ବର ସହିତ ବିଦାୟ ଦେଇଥିଲେ। ମନ୍ଦିର ନିକଟରେ ଆୟୋଜନ ହୋଇଥିବା ଭୋଜିରେ ଗ୍ରାମବାସୀ ସାମିଲ ହୋଇଥିଲେ ।






