କେଶ ପାଇଁ ପୃଷ୍ଟିକର ଖାଦ୍ୟର ନହାତି ଆବଶ୍ୟକତା ରହିଛି । କିନ୍ତୁ ସଠିକ୍ ଖାଦ୍ୟ ନ ଖାଇଲେ କେଶରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ । ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ । ତେବେ ଆସନ୍ତୁ କିଛି ପ୍ରମୁଖ ଖାଦ୍ୟ ଉପରେ ନଜର ପକାଇବା ଯାହା କେଶକୁ ଭିତରୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ।
ଅଣ୍ଡା: କେଶ ବୃଦ୍ଧି ପାଇଁ ଅଣ୍ଡା ସବୁଠାରୁ ଭଲ । ଆମର କେଶ କେରାଟିନ୍ ନାମକ ଏକ ପ୍ରୋଟିନରୁ ତିଆରି । NCBI ର ଏକ ରିପୋର୍ଟ ଅନୁଯାୟୀ, ଅଣ୍ଡାରେ ଥିବା ଉଚ୍ଚମାନର ପ୍ରୋଟିନ୍ କେଶ ମୂଳକୁ ମଜବୁତ କରେ । ପ୍ରୋଟିନ୍ ଅଭାବରୁ କେଶ ପତଳା ହୋଇପାରେ ଏବଂ ଝଡ଼ିପାରେ। ଅଣ୍ଡାରେ ବାୟୋଟିନ୍ ଭରପୂର, ଏକ B ଭିଟାମିନ୍ ଯାହା କେରାଟିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରେ । ଏଥିରେ ଥିବା ଜିଙ୍କ୍ ଏବଂ ସେଲେନିୟମ୍ କେଶକୁ ଅତ୍ୟାବଶ୍ୟକ ଶକ୍ତି ପ୍ରଦାନ କରେ ଏବଂ କେଶ ବୃଦ୍ଧିକୁ ତ୍ୱରାନ୍ୱିତ କରେ ।
ଚର୍ବିଯୁକ୍ତ ମାଛ: ସାଲମନ, ସାର୍ଡିନ୍ ଏବଂ ମ୍ୟାକେରେଲ୍ ଭଳି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୂର। ଓମେଗା-୩ ଏସିଡ୍ ଛିଦ୍ର ଚାରିପାଖରେ ପ୍ରଦାହ କମ୍ କରେ ଏବଂ କେଶ ବୃଦ୍ଧିକୁ ସାହାଯ୍ୟ କରେ । ଏହା କେଶକୁ ଅତ୍ୟାବଶ୍ୟକୀୟ ପ୍ରାକୃତିକ ତେଲ ଏବଂ ଚମକ ପ୍ରଦାନ କରେ। ମାଛକୁ ଭାଜିବା ଅପେକ୍ଷା ସିଝାଇ କିମ୍ବା ଗ୍ରୀଲ୍ କରିବା ଖାଇବା ଅଧିକ ଲାଭଦାୟକ।
ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ପ୍ରଚୁର ଆଇରନ୍, ଫୋଲେଟ୍, ଭିଟାମିନ୍ ଏ ଏବଂ ସି ରହିଥାଏ। ଏହା ମୁଣ୍ଡକୁ ସୁସ୍ଥ ରଖେ ଏବଂ ରକ୍ତ ପ୍ରବାହ ବୃଦ୍ଧି କରେ। ଆଇରନ୍ ଅଭାବ ମହିଳାମାନଙ୍କ କେଶ ଝଡ଼ିବାର ଏକ ପ୍ରମୁଖ କାରଣ। ପାଳଙ୍ଗରେ ଥିବା ଆଇରନ୍ କେଶ ମୂଳକୁ ଅମ୍ଳଜାନ ପରିବହନ କରିବାରେ ସାହାଯ୍ୟ କରେ । ଆପଣ ପାଳଙ୍ଗ ଶାଗକୁ ସାଲାଡରେ ମିଶାଇ ଖାଇପାରିବେ କିମ୍ବା ହାଲୁକା ଭାଜି କରି ଖାଇପାରିବେ ।
ବିଟ୍: କେଶ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ବିଟ୍ । କାରଣ ବିଟରେ ଭରପୁର ମାତ୍ରାରେ ନାଇଟ୍ରେଟ୍ ରହିଛି | ଏକ ଅଧ୍ୟୟନ ଅନୁଯାୟୀ, ବିଟ ଆପଣଙ୍କ କେଶ ଫୋଲିକଲରେ ଅକ୍ସିଜେନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ ।






