ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ ୬ଷ୍ଠ ଶ୍ରେଣୀ ପାଇଁ ୨ଟି ଭାରତୀୟ ସ୍ଥାନୀୟ ଭାଷା ସମେତ ୩ଟି ଭାଷା ଅଧ୍ୟୟନକୁ ବାଧ୍ୟତାମୂଳକ କରୁଥିବା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମାକୁ ସ୍ଥଗିତ ରଖବା ବିଷୟରେ ବିଚାର କରିବାକୁ କୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)କୁ ପରାମର୍ଶ ଦେଇଛନ୍ତି ।ବୋର୍ଡ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି କହିଛନ୍ତି ଏହି ବିଷୟରେ ବିଚାର କରାଯିବ । ସିବିଏସ୍ଇ ସ୍କୁଲରେ ତ୍ରିଭାଷୀ ନୀତି ବାଧ୍ୟତାମୂଳକ ଭାବେ ଲାଗୁ କରାଯିବା ନୀତିକୁ ବିରୋଧ କରି ଆଗତ ପିଟିସନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ । ବିଚାରପତି ବାଗ୍ଚୀ କହିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱସ୍ତି ଦେବା ଲାଗି ତ୍ରିଭାଷୀ ନୀତିକୁ ଲାଗୁ କରିବାର ସମୟ ସୀମା ଘୁଞ୍ଚାଇବା ଆବଶ୍ୟକ । ତେବେ ଯେଉଁ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ତ୍ରିଭାଷୀ ପଢ଼ିବାକୁ ଚାହାନ୍ତି ସେମାନଙ୍କୁ ଅନୁମତି ଦେବାକୁ ସେ କହିଛନ୍ତି ।






