ଶେଷ ହେଲା ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳ ଭାଗ ଅତିକ୍ରମ କଲା ଅର୍ଣ୍ଣବ (ରାତି ୨ ରୁ ସକାଳ ୮ଟା ୩୦) ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ, ଯାହା ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଆନ୍ଧ୍ର ପ୍ରଦେଶର ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ, ୟାନମର ଦକ୍ଷିଣ ଦିଗ ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ।। ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ମାଲକାନଗିରି ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତ କିମ୍ବା ଅବପାତର ରୂପ ନେଇପାରେ।ବାତ୍ୟାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ରହିଛି। ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି।ସେହିପରି କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।






