ବାତ୍ୟା ‘ଅର୍ଣ୍ଣବ’ପରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ଏହି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ ।ଓଡ଼ିଶା ଆସୁଥିବା କେନ୍ଦ୍ରୀୟ ଟିମର ନେତୃତ୍ୱ ନେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କର। ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଟିମ୍ ର ଅନ୍ୟ ସଦସ୍ୟମାନେ ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ପହଞ୍ଚିବେ। ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ।ତେବେ ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏଥିସହିତ ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ।





