କାହ୍ନା କୁଣ୍ଡରେ ଭାସିଗଲେ ମହିଳା । ସୁନ୍ଦରଗଡ଼ ତଳସରା ଥାନା ଘୋଘର ନିକଟ ଇବ୍ ନଦୀର କାହ୍ନା କୁଣ୍ଡରେ ଘଟିଛି ଏହି ଅଘଟଣ ।ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ୪ ଜଣ ମହିଳା ସାଙ୍ଗ କାହ୍ନା କୁଣ୍ଡରେ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହାତ ଓ ମୁହଁ ଧୋଇବା ପାଇଁ ପାଣିକୁ ଓହ୍ଲାଇଥିବା ବେଳେ ହଠାତ୍ ଗୋଡ଼ ଖସିଯାଇଥିଲା । ଫଳରେ ସେ ପ୍ରଖର ଜଳସ୍ରୋତରେ ଭାସିଯାଇଥିବା ସୂଚନା ମିଳିଛି । ନିଖୋଜ ମହିଳା ଜଣକ ସୁନ୍ଦରଗଡ଼ ମହେଶଡ଼ିହି ଅଞ୍ଚଳର ବୋଲି ଜଣାପଡ଼ିଛି ।ଘଟଣା ପରେ ତଲସରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ତେବେ ଏଯାଏ ନିଖୋଜ ମହିଳାଙ୍କର କୌଣସି ଖୋଜଖବର ମିଳିନାହିଁ । କାହ୍ନା କୁଣ୍ଡରେ ଗତ କିଛି ବର୍ଷ ମଧ୍ୟରେ ୧୦ ଜଣ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ସୂଚନା ରହିଛି ।ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପାଇଁ ଦାବି ହେଉଛି । ବାରମ୍ବାର ଏହି ଅଘଟଣ ଘଟୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି ।






