ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳମୁହାଁ । ମନ୍ଥର ଗତିରେ ଏହା ଉପକୂଳ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଲାଗିରହିଛି ।ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ପ୍ରାୟ ୧୦୦ କିମି ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, ବିଶାଖାପାଟଣାରୁ ୧୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ପୁରୀଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ କେନ୍ଦ୍ରୀଭୂତ ହୋଇ ରହିଛି ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ପ୍ରଣାଳୀ ଆଗାମୀ କିଛି ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବ। ଆଜି ରାତିରେ ଏହା ଏକ ଗଭୀର ଅବପାତ ରୂପରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ କଳିଙ୍ଗପଟ୍ଟନମ୍ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବା ସହ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ଝଟକା ପବନ ବହିବାର ଆଶଙ୍କା ରହିଛି। ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଲଗାଣ ଓ ମୂଷଳଧାରା ବର୍ଷାର ସମ୍ଭାବନା ରହିଛି ।






