ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ କରିଛନ୍ତି ଜମ୍ମୁ-କାଶ୍ମୀରର ଉଧମପୁରର ବ୍ରାଟାଲ ଅଞ୍ଚଳର ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀ କହିଛନ୍ତି ଯେ, “ଅପରେସନ୍ ସୋହନ” ଅଧୀନରେ ଏହି ଅଭିଯାନ କରାଯାଇଥିଲା । ବ୍ରାଟାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ରାତିରେ ଏହି ଅଭିଯାନ ଆରମ୍ଭ କରିଥିଲେ । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ପ୍ରକ୍ସି ସଂଗଠନ କାଶ୍ମୀର ଟାଇଗର୍ସ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଗୁଇନ୍ଦା ସୂଚନା ଆଧାରରେ ଜଙ୍ଗଲ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ଠାବ ହୋଇଥିଲା । ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ବଡ଼ ଧରଣର ଘେରାଉ ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ପାରା ସ୍ପେଶାଲ୍ ଫୋର୍ସ, ଜମ୍ମୁ-କଶ୍ମୀର ପୋଲିସ ଏବଂ CRPF ମିଳିତ ଭାବେ ଏହି ଅପରେସନ୍ ଚଳାଇଥିଲେ ।ଅନ୍ୟପଟେ ସୁରକ୍ଷା ବାହିନୀ ଆହୁରି କହିଛନ୍ତି ଯେ, ଅଭିଯାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସର୍ଚ୍ଚ ଅପରେସନ ସହିତ ସେହି ଅଞ୍ଚଳରେ ପର୍ଯ୍ୟବେକ୍ଷଣ ଜାରି ରହିଛି । ୨୦୨୬ ମସିହାରେ ଜମ୍ମୁ ଏବଂ କାଶ୍ମୀରରେ ଏପର୍ଯ୍ୟନ୍ତ ୧୫ଟି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୨ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଏହା ବ୍ୟତୀତ, ୩ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।






