ବଲିଉଡ୍ ଜଗତରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତା । ଅକ୍ଟୋବର ୩୦ ତାରିଖରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ‘ଜଙ୍ଗ୍’, ‘କାଣ୍ଟେ’, ‘ସୁଟ୍ଆଉଟ୍ ଆଟ୍ ୱାଡାଲା’ ଓ ‘କାବିଲ୍’ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏ ନେଇ ତାଙ୍କର ଜଣେ ନିକଟତମ ସହଯୋଗୀ ମିଲାପ ଜାଭେରୀ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।ପ୍ରାଥମିକ ସୂଚନା ଅନୁସାରେ, ଗତ ରାତିରେ ମୁମ୍ବାଇର ଭର୍ସୋଭାସ୍ଥିତ ନିଜ ବାସଭବନର ବାଥରୁମ୍ରେ ସେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ସମୟରେ ଘରେ ତାଙ୍କ ପତ୍ନୀ, ଦୁଇ ସନ୍ତାନ ଏବଂ ଜଣେ ଘରୋଇ ସହାୟକ ଉପସ୍ଥିତ ଥିଲେ। ତେବେ ସମସ୍ତେ ଶୋଇଥିବାରୁ ସକାଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ଭର୍ସୋଭା ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି। ସଞ୍ଜୟ ଗୁପ୍ତା ୧୯୯୪ ମସିହାରେ ‘ଆତିଶ୍: ଫିଲ୍ ଦ ଫାୟାର’ ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ରେ ମୁକ୍ତିଲାଭ କରିଥିବା ‘କାଣ୍ଟେ’ ତାଙ୍କୁ ବଡ଼ ସଫଳତା ଦେଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ, ଲକି ଅଲି ଓ ମହେଶ ମାଞ୍ଜରେକରଙ୍କ ଭଳି ଅଭିନେତା ଅଭିନୟ କରିଥିଲେ। ଏହାପରେ ଗ୍ୟାଙ୍ଗଷ୍ଟର ଓ କ୍ରାଇମ୍ ଥ୍ରିଲର୍ ଭଳି ଫିଲ୍ମ ନିର୍ମାଣରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।






