ଚଢ଼ିଲା ବୁଲଡୋଜର ଭାଙ୍ଗିଲା ଘର । ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଘରକୁ ବୁଲଡୋଜର ଭାଙ୍ଗିଛି । ଜବରଦଖଲ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ନେଲା କଡ଼ା ପଦକ୍ଷେପ । ୭୦ ବର୍ଷିୟ ପୁରୁଣା ଘରକୁ ଭଙ୍ଗାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।
ଅଭିଯୋଗ ଅନୁସାରେ, ଯାଜପୁର ସଦର ବ୍ଲକ ସାନସୁଆର ଗାଁର କିଛି ମୁଷ୍ଠମେୟ ଲୋକ ଗାଁ ରାସ୍ତାକୁ ଅବରୋଧ କରି ସେଥିରେ ଘର ତିଆରି କରିଥିଲେ । ଏନେଇ ପ୍ରଫୁଲ୍ଲ କୁମାର ନାୟକ, ରତିକାନ୍ତ ନାୟକ, ତାରାକାନ୍ତ ଜେନା, ସଚିକାନ୍ତ ନାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୩ ମସିହା ଜୁଲାଇ ୨୩ ତାରିଖରେ ମାନ୍ୟବର ହାଇକୋର୍ଟ ସାନସୁଆର ମୌଜା ପ୍ଲଟ ନମ୍ବର ୩୯୦, ଖାତା ନମ୍ବର ୩୫୪ର ମାପଚୁପ ନିର୍ଦ୍ଦେଶ ଦେବା ସହ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା । କିନ୍ତୁ ନୋଟିସକୁ ଅମାନ୍ୟ କରି ୧୮ଟି ପରିବାର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ ।ଯାଜପୁର ତହସିଲଦାର, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଆରଆଈଙ୍କ ମିଳିତ ଉଦ୍ୟମରେ ବୁଲଡୋଜର ଦ୍ୱାରା ଏହି ସରକାରୀ ଜମିରେ ନିର୍ମାଣ ହୋଇଥିବା ଘର, ପାଚେରୀ, ଘରର ବାରଣ୍ଡା ପ୍ରଭୃତିକୁ ଉଚ୍ଛେଦ କରାଯାଇଛି । ଶାନ୍ତିଶୃଙ୍ଖଳାକୁ ଆଖିଆଗରେ ରଖି ଯାଜପୁର ଟାଉନ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ୍ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ।ଯେଉଁ ଲୋକମାନଙ୍କ ଘର ଭଙ୍ଗାଯାଇଛି ସେମାନଙ୍କ କହିବା କଥା ହେଲା ପୁରୁଣା ନକ୍ସା ଅନୁସାରେ ଆମେ ଘର କରିଛୁ । କିନ୍ତୁ ନୂଆ ନକ୍ସାରେ ସେମାନେ ସରକାରୀ ଜମିରେ ଘର କରିଥିବା ଦର୍ଶାଯାଇଛି । ଫଳରେ ପ୍ରଶାସନ ସେମାନଙ୍କ ଘର ଉପରେ ବୋଲଡୋଜର ଚଢ଼ାଇଛି ।






