ୟୁରୋପର ଆକାଶରେ ଏବେ ଆତଙ୍କର ବାତାବରଣ । ଗୋଟିଏ ପରେ ଗୋଟିଏ ଯାତ୍ରୀବାହୀ ବିମାନକୁ ମିଳୁଛି ବୋମା ଧମକ । ଏକାଧିକ ଦେଶର ପ୍ରାୟ ୧୬ଟି ବିମାନକୁ ବୋମା ରଖାଯାଇଥିବା ନେଇ ଧମକ ମିଳିବା ପରେ ଚିନ୍ତା ବଢ଼ିଯାଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଗତିପଥ ବଦଳାଇ ଜରୁରୀ ଅବତରଣ କରାଯାଇଛି। ଫ୍ରାନ୍ସ, ବୁଲଗେରିଆ, ବେଲଜିୟମ ଓ ଇଟାଲୀ ସମେତ ବିଭିନ୍ନ ଦେଶର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆୟର୍ଲାଣ୍ଡର ଡବଲିନରୁ ଇଟାଲୀର ରୋମ୍ ଅଭିମୁଖେ ଯାଉଥିବା ଏର୍ ଲିଙ୍ଗସର EI402 ବିମାନକୁ ବୋମା ଧମକ ମିଳିବା ପରେ ଫ୍ରାନ୍ସକୁ ଡାଇଭର୍ଟ କରାଯାଇଥିଲା । ପ୍ୟାରିସଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଏଭ୍ରୋ ସାମରିକ ବିମାନଘାଟିରେ ଏହା ସୁରକ୍ଷିତ ଅବତରଣ କରିଥିଲା । ବିମାନରେ ଥିବା ୧୫୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ବିମାନର ଯାଞ୍ଚ କରାଯାଇଛି ।କେବଳ ଏତିକି ନୁହେଁ, ବୁଲଗେରିଆର ରାଜଧାନୀ ସୋଫିଆ ଅଭିମୁଖେ ଯାଉଥିବା ତିନୋଟି ବିମାନକୁ ମଧ୍ୟ ବୋମା ଧମକ ମିଳିଥିବା ସୂଚନା ରହିଛି ।
ଆୟରଲାଣ୍ଡ, ଇଟାଲି, ବୁଲଗେରିଆ, ରୋମାନିଆ, ପୋଲାଣ୍ଡ, ଫିନଲାଣ୍ଡ, ଅଷ୍ଟ୍ରିଆ, ବେଲଜିୟମ ଏବଂ ଚେକ୍ ରିପବ୍ଲିକ୍ ଭଳି ଦେଶରେ ଏହି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏହି ଧମକଗୁଡ଼ିକ ପଛରେ କିଏ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।






