ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ ଜାରି କରିବେ। କୋର୍ଟ ଜୋର ଦେଇ କହିଛନ୍ତି ଯେ ଯେଉଁମାନେ ନିୟମ ଉଲ୍ଲଂଘନ କରି ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ସହିତ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବିରାଟ କୋହଲିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବାଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ସାମିଲ କରାଯାଇପାରେ।ପ୍ରତିବର୍ଷ ବାଣ ଓ ପ୍ରଦୂଷଣକୁ ନେଇ ନିର୍ଦ୍ଦେଶ ଜାରି କରିବାକୁ ପଡ଼ୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟଙ୍କ ମତରେ, ଆଦେଶ ପାଳନ କମ୍ ହେଉଥିବା ବେଳେ ଉଲ୍ଲଂଘନ ଅଧିକ ହେଉଛି। କେବଳ ନିଷେଧାଦେଶ ଲଗାଇଦେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରରେ ଯୋଜନାବଦ୍ଧ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କହିଛନ୍ତି।ଅନ୍ୟପକ୍ଷରେ, ଶୁଣାଣି ସମୟରେ ଦିଲ୍ଲୀ ସରକାର କହିଛନ୍ତି ଯେ ସେମାନେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।






