ପଶ୍ଚିମବଙ୍ଗର ସରକାରୀ ସ୍କୁଲ୍ରେ ପଢ଼ାଯାଉଥିବା ବଙ୍ଗଳା ଭାଷା ବହିରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ପାଠ୍ୟକ୍ରମ ସମୀକ୍ଷା କମିଟି ପାଠ୍ୟପୁସ୍ତକରେ ବ୍ୟବହୃତ କେତେକ ଶବ୍ଦ ପରିବର୍ତ୍ତନ, ଇତିହାସ ପାଠ୍ୟକ୍ରମରେ ସଂଶୋଧନ ଏବଂ ନୂଆ ବିଷୟବସ୍ତୁ ସାମିଲ କରିବାକୁ ସୁପାରିସ କରିଛି । ପ୍ରସ୍ତାବ ଅନୁଯାୟୀ ବଙ୍ଗଳା ପାଠ୍ୟପୁସ୍ତକରେ ପାଣି ବଦଳରେ ଜଳ ଏବଂ ଅବ୍ବା ବଦଳରେ ବାବା ଶବ୍ଦ ବ୍ୟବହାର କରାଯିବ ।ଏହା ସହ ହିନ୍ଦୁ ରାଷ୍ଟ୍ରବାଦୀ ନେତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀକୁ ପାଠ୍ୟକ୍ରମରେ ସାମିଲ କରିବା ଏବଂ ମୋଗଲ ଶାସନ ଓ ମାର୍କ୍ସବାଦୀ ଚିନ୍ତାଧାରା ସହ ଜଡ଼ିତ କିଛି ପାଠକୁ କମାଇବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ଚାଟାର୍ଜୀ ଏହି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ସମୀକ୍ଷା କମିଟିର ମୁଖ୍ୟ ଅଛନ୍ତି। ତାଙ୍କ କହିବା ଅନୁସାରେ, ବଙ୍ଗଳା ଭାଷା ବହିରୁ ‘ପାଣି’, ‘ଆବ୍ବା’ ଓ ‘ଆମ୍ମି’ ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏହା ବଦଳରେ ‘ଜଳ’, ‘ବାବା’ ଓ ‘ମା’ ଭଳି ଶବ୍ଦ ବ୍ୟବହାର କରାଯିବ। କମିଟିର ଲକ୍ଷ୍ୟ ହେଉଛି ୨୦୨୭ ଜାନୁଆରୀ ସୁଦ୍ଧା ନୂଆ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣ ପ୍ରସ୍ତୁତ କରିବା।କମିଟି ମୁଖ୍ୟ ଦେବାଶିଷ ଚାଟାର୍ଜୀ କହିଛନ୍ତି ଯେ, ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ କମିଟିକୁ ଖୁବ୍ କମ୍ ସମୟ ମିଳିଛି । ତେଣୁ ଏଥର ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ ପରିବର୍ତ୍ତେ ଆବଶ୍ୟକ ସଂଶୋଧନ ଓ ତ୍ରୁଟି ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି ।






