ହଷ୍ଟେଲରେ ଗ୍ୟାସ ସଙ୍କଟ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ଛାତ୍ରାବାସଗୁଡ଼ିକରେ ରନ୍ଧନ ଗ୍ୟାସ ଯୋଗାଣକୁ ନେଇ ରାଜ୍ୟ ସରକାର ଏବେ ଆକ୍ସନ ମୋଡ୍ରେ। ହଷ୍ଟେଲ୍ ରୋଷେଇଘରରେ ଏଣିକି ବ୍ୟବହାର ହେବ ପିଏନଜି । ଏଲ୍ପିଜି ଅଭାବ କିମ୍ବା ଯୋଗାଣରେ ବିଳମ୍ବ ଯୋଗୁଁ ଯେପରି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ କୌଣସି ବାଧା ସୃଷ୍ଟି ନହୁଏ । ସେଥିପାଇଁ ସମସ୍ତ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭାବନା ନେଇ ସର୍ଭେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।ଗ୍ୟାସ ଯୋଗାଣ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ, ଅଭିଯୋଗର ଶୀଘ୍ର ନିଷ୍ପତ୍ତି ଏବଂ ନିୟମିତ ତଦାରଖ ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି, ଯେଉଁ ଶିକ୍ଷାନୁଷ୍ଠାନରେ ପିଏନ୍ଜି ସୁବିଧା ଉପଲବ୍ଧ ରହିଛି, ସେଠାରେ ଏଲ୍ପିଜି ପରିବର୍ତ୍ତେ ପିଏନ୍ଜି ବ୍ୟବହାର ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କେଉଁ କେଉଁ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭବ, ସେନେଇ ସବିଶେଷ ରିପୋର୍ଟ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ହଷ୍ଟେଲଗୁଡ଼ିକରେ ରୋଷେଇ ବ୍ୟବସ୍ଥା ଅଧିକ ସୁରକ୍ଷିତ, ନିରବଚ୍ଛିନ୍ନ ଓ ସୁବିଧାଜନକ ହେବା ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବମୁକ୍ତ ରହିବ ବୋଲି ଆଶା କରାଯାଉଛି ।






