ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ଆଭିମୁଖ୍ୟ । ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ।ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ସମସ୍ତ ପାଠ୍ୟପୁସ୍ତକକୁ ଫେରାଇ ନେବେ ସରକାର । ନୂଆ ବହି ଆସିଲେ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୁରୁବାର ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ରିପୋର୍ଟ ସିଏମଓରେ ପହଞ୍ଚିଥିଲା । ଏହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ଯାଏଁ ସମସ୍ତ ପ୍ରକ୍ରିୟା ଯାଞ୍ଚ ହେବ । ଏହି ଷଡ଼ଯନ୍ତ୍ରରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତି କି ଦୋଷୀଙ୍କ ଠାରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।ସେପଟେ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି ଉଚ୍ଚସ୍ତରୀୟ କମିଟି । ସବୁ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛି କମିଟି । ୭ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।ଉନ୍ନୟନ କମିଶନଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା କମିଟି । ପ୍ରାରମ୍ଭିକ ଭାବରେ ପ୍ୟାନେଲକୁ ୧୫ ଦିନ ସମୟ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ସାତ ଦିନର ଡେଡଲାଇନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ସେ ରିପୋର୍ଟରେ କମିଟି କଣ ତଥ୍ୟ ଦେଇଛି । ଷଡଯନ୍ତ୍ରର ପ୍ରମାଣ କମିଟି ପାଇଛି କି ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ସ୍ପଷ୍ଟ କରିପାରନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଶିକ୍ଷାବିତ । ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ଭବିଷ୍ୟତରେ ଏପରି ତ୍ରୁଟି ଯେପରି ନ ହୁଏ, ସେଥିପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଦୃଢ଼ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।






