କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଛତିଶଗଡ଼ର କେତେକ ପରିବାର ଏସପିଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ରାସ୍ତାକଡ଼ର ଏକ ସରକାରୀ ଜମିରେ ତମ୍ବୁ ପକାଇ ବସବାସ କରୁଛନ୍ତି। ସେମାନେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଝାଡ଼ୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ବିଳମ୍ବିତ ରାତିରେ ତମ୍ବୁ ମଧ୍ୟରେ ଶୋଇଥିବା ଜଣେ ନାବାଳିକାଙ୍କୁ ଦୁଇ ଜଣ ଯୁବକ ଉଠାଇ ନେଇ ନିକଟସ୍ଥ ଜଙ୍ଗଲିଆ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ମୁର୍ମୁଷୁ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଇଛି।ସକାଳେ ପରିବାର ଲୋକେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ। ତମ୍ବୁରେ ସେ ନ ଥିବାରୁ ନିକଟସ୍ଥ ଜଙ୍ଗଲରେ ଖୋଜିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ପରିବାର ଲୋକେ ସଦର ଥାନାରେ ଅଭିଯୋଗ ଦାଖଲ କରିଥିଲେ।ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।






