ବରଗଡ଼ର ଭାଜପା ଏମ୍ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍ ହୋଇଛି। ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜୁ ଜନତାର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ ।
ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି ।ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।






