ପୁରୀର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ପବିତ୍ର ରୁକ୍ମଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ନୀତି ଉତ୍ସବ । ଦେବଦେବୀଙ୍କ ଏହି ଦିବ୍ୟ ମିଳନ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି ।ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି ଦିନ ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ବେଶ କରାଯାଇଥାଏ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ମହାପ୍ରଭୁଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଥାଏ ।ସିଂହଦ୍ୱାର ସମ୍ମୁଖରେ ଆଜି ସକାଳୁ ତେଲିଙ୍ଗି ବାଜା, ଯୋଡ଼ି ଶଂଖ ଓ ମହୁରୀର ସୁରିଲା ସ୍ୱରରେ ପରିବେଶ ଗୁଞ୍ଜରିତ ହୋଇଉଠିଛି । ଭକ୍ତମାନେ ଦୂରଦୂରାନ୍ତରୁ ଆସି ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଅପେକ୍ଷାରେ ରହିଛନ୍ତି ।






