ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ । ୧୬ ଜଣଙ୍କ ମୃତ୍ୟୁ ହୋଇଛି, ଏକାଧିକ ଗୁରୁତର । ସୂଚନା ଅନୁସାରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରେ ଥିବା ଛାତ୍ରଛାତ୍ରୀମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା । ପ୍ରାଣ ବିକଳରେ କିଛି ଛାତ୍ରଛାତ୍ରୀ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଝରକା ବାଟେ ବାହାରକୁ ଆସି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ କୋଠାର ଏକ ଧାରକୁ ଧରି ରଖିବାରେ ଅସମର୍ଥ ହୋଇ ତଳେ ଥିବା ବାଡ଼ ଉପରେ ପଡ଼ିଯାଉଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନିଆଁ ପ୍ରାୟ ଏକ ଘଣ୍ଟା ଧରି ଜଳିବା ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ କୋଠା ଭିତରୁ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଘଟଣାସ୍ଥଳରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଜମା ହୋଇଥିଲେ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଫସି ରହିଥିବା ଏବଂ ଆହତଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ସୂଚନା ଅପେକ୍ଷା କରାଯାଇଛି। ଅଗ୍ନିଶମ ବାହିନୀ, ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏଠାରେ ଏକ ଲାଇବ୍ରେରୀ କିମ୍ବା କମ୍ପ୍ୟୁଟର କୋର୍ସ ପ୍ରତିଷ୍ଠାନ ଅଛି। ପହଞ୍ଚିବା ପରେ କୋଠାରୁ ଧୂଆଁ ବାହାରୁଥିବା ଦେଖିଲୁ। ଆମେ ୫-୬ ଜଣଙ୍କୁ ଉଦ୍ଧାର କରିଥିଲୁ।





