ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଏକ ବଡ ଓ ଦୁଃଖଦ ଖବର ସୋମବାର ସାମ୍ନାକୁ ଆସିଛି। ଏଥିରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି । ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆହତ ଶ୍ରମିକମାନଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ।ଏହି ଘଟଣାରେ ୬୦ ଜଣ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ସହିତ ଅସୁସ୍ଥଙ୍କ ମଧ୍ୟରେ ଅନେକ ଓଡିଆ ରହିଛନ୍ତି। ରିପୋର୍ଟ ଅନୁଯାୟୀ ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପୋର୍ଟ କମ୍ପାନୀରେ ଏହି ଅଘଟଣ ଘଟିଛି। ଏନଡିଆରଏଫ୍ ବାହିନୀ ସ୍ବତନ୍ତ୍ର ସୁରକ୍ଷା ପୋଷାକ ସହିତ କମ୍ପାନୀ ପରିସରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। କମ୍ପାନୀ ପରିସରରେ ଓଡ଼ିଶା, ଆସାମ ଓ ଝାଡଖଣ୍ଡର ପ୍ରାୟ ୧୨୦ଜଣ ଶ୍ରମିକ ରହି କାମ କରୁଥିଲେ। ରବିବାର ଛୁଟି ଦିନ ସତ୍ତ୍ବେ କର୍ମଚାରୀମାନେ କମ୍ପାନୀ ପରିସରରେ ରହିଥିଲେ। ତେଣୁ ଗ୍ୟାସ୍ ଲିକ୍ ପ୍ରଭାବରେ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ରୁ ଆମୋନିଆ ଗ୍ରାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପୀ ଯାଇଥିଲା। ତେବେ ମୃତ ଶ୍ରମିକଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରାଯିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।






