ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପ୍ରେମିକ ପ୍ରଶାସନିକ ଅଧିକାରୀ ଭୀମସେନ ଟୁଡୁଙ୍କୁ ୪୮ ଘଣ୍ଟିଆ ରିମାଣ୍ଡ୍ରେ ଆଣିଥିଲା ବାରଙ୍ଗ ଥାନା ପୁଲିସ । ପୁଲିସ ଭୀମସେନଙ୍କୁ ଜେରା କରି ୨୪ ଘଣ୍ଟାରେ କୋର୍ଟରେ ହାଜର କରିଥିଲା ।ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ଏହି ବହୁଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତ ପ୍ରେମିକ ଭୀମସେନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସ୍ର ସଙ୍ଗିନ ଧାରା-୬୯ ଲାଗୁ କରିଛି ପୁଲିସ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଭୀମସେନଙ୍କୁ ଏହି ଧାରାରେ ଛନ୍ଦି ଦିଆଯାଇଛି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ପ୍ରମାଣ ମିଳିଥିବା କୁହାଯାଉଛି । ଏହାକୁ ଆଧାର କରି ପୁଲିସ ମାମଲାରେ ଅଧିକ ଗୁରୁତର ଧାରା ଯୋଡ଼ିଛି ।ତେବେ ତଦନ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ । ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଆଉ କୌଣସି ଷଡଯନ୍ତ୍ର କିମ୍ବା ଚାପ ରହିଥିଲା କି ନାହିଁ, ସେ ଦିଗରେ ମଧ୍ୟ ପୁଲିସ ଖୋଳତାଡ଼ ଜାରି ରଖିଛି । ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି ।






