ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କର ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୩୬ ବର୍ଷ ଧରି ଇରାନର ସର୍ବୋଚ୍ଚ ନେତା ଥିବା ଖେମିନିଙ୍କ ମୃତ୍ୟୁକୁ ପାଖାପାଖି ଚାରି ମାସ ହୋଇଯାଇଥିବାବେଳେ ଇରାନ ତାଙ୍କ ଅନ୍ତିମ ସଂସ୍କାର କରିନଥିଲା । ତେବେ ଇରାନ ପକ୍ଷରୁ ଖେମିନିଙ୍କ ଅନ୍ତିମ ସଂସ୍କାର ଅତି ଭବ୍ୟ ଭାବରେ ଜୁଲାଇ ୪ ତାରିଖରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଇରାନର ପବିତ୍ର ସହର ମସହଦରେ ସମ୍ପନ୍ନ କରାଯିବ।ଏଥିପାଇଁ ମୋଦିଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି । ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୋକସଭା ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।ରାଷ୍ଟ୍ରପତି ପେଜେସ୍କିଆନଙ୍କ ପକ୍ଷରୁ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ପ୍ରଭାବଶାଳୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି । ଏହି ତାଲିକାରେ ଚୀନ, ଋଷ, କାତାର, ଫ୍ରାନ୍ସ ଏବଂ ପାକିସ୍ତାନ ଭଳି ଦେଶ ସାମିଲ ଅଛନ୍ତି । ତେବେ ଭାରତ ପକ୍ଷରୁ କିଏ ଏହି ଉତ୍ସବରେ ଯୋଗଦେବ ତାହା ଏବେ ସ୍ପଷ୍ଟ ହୋଇନାହିଁ। ଖେମିନିଙ୍କ ମୃତ୍ୟୁ ପରେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସକୁ ଯାଇ ସରକାରଙ୍କ ପକ୍ଷରୁ ଶୋକ ପୁସ୍ତିକାରେ ହସ୍ତାକ୍ଷର କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବିବୃତି ଜାରି କରି କହିଛନ୍ତି, ଖାମେନେଇଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିବ ।






